ଦାଉ ସାଧୁଛି ଅଦିନିଆ ବର୍ଷା : କ୍ଷେତ ଓ ଖଳାରେ ଭିଜୁଛି ପାଚିଲା ଧାନ ଚିନ୍ତାରେ ଚାଷୀ କୂଳ।
ବାଲିଗୁଡା ୨୧।୧୨: ଦାଉ ସାଧୁଛି ଅଦିନିଆ ବର୍ଷା : କ୍ଷେତ ଓ ଖଳାରେ ଭିଜୁଛି ପାଚିଲା ଧାନ ଚିନ୍ତାରେ ଚାଷୀ କୂଳ। ଗତ ଗୁରୁବାର ଠାରୁ ଲଘୁଚାପ ପ୍ରଭାବରେ ବାଲିଗୁଡା ସମେତ ଆଖପାଖ ଅଞ୍ଚଳରେ ଅଦିନିଆ ଝିପିଝିପି ବର୍ଷା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷ କରି ଏବେ ଶହଶହ ଚାଷୀଙ୍କର କ୍ଷେତ ଓ ଖଳାରେ ପାଚିଲାଧାନ ପଡି ରହି ଥୂବାରୁ ଅଦିନିଆ ବର୍ଷାରେ ଭିଜୁଛି। ଚାଷୀମାନେ ଅମଳ ହୋଇଥିବା ପାଚିଲା ଧାନକୁ କିପରି ବର୍ଷା ଦାଉରୁ ରକ୍ଷା କରିବେ ଏବେ ଚିନ୍ତା ବଢିଛି। ସେଥିପାଇଁ କିଏ ପଲିଥିନ ଢାଙ୍କୁଛି ତ ଆଉ କିଏ ବସ୍ତାରେ ଧାନକୁ ସାଇତି ରଖୁଥିବା ଦେଖିବାକୁ ମିଳୁଛି ।
ଯାହାକିଛି ଧାନ ଅମଳ ହୋଇଛି ସରକାରୀ ମଣ୍ଡି ଖୋଲିନଥୂବାରୁ ଧାନ କିପରି ନିପରି ବିକ୍ରି କରିବେ ସେଥିପାଇଁ ଚିନ୍ତାରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ୨ଦିନ ହେଲା କୋହଲା ପାଗ ସହିତ ଝିପିଝିପି ବର୍ଷା ଲାଗି ରହିଥିବାରୁ ଅନେକ ସ୍ଥାନରେ ଧାନ ଭିଜିବା ସହିତ କ୍ଷେତରେ ପାଣି ଜମିବାରେ ଲାଗିଛି। ଯାହା ଫଳରେ ଧାନ ଗଜା ହୋଇଯିବ ବୋଲି ଚାଷୀମାନେ କହିଛନ୍ତି। ଶହଶହ ଏକର ଚାଷ ଜମିରେ ଏପର୍ଯ୍ୟନ୍ତ ଧାନ କଟା ହୋଇ ପଡି ରହି ଥୂବାରୁ ତାହା କ୍ଷେତରେ ନଷ୍ଟ ହେବାକୁ ବସିଲାଣି । ଏଥିପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଧାନ ମଣ୍ଡି ଖୋଲିବା ସହ କ୍ଷୟ କ୍ଷତି ଯୋଗାଇ ଦେବା ପାଇଁ ଚାଷୀ ମହଲରୁ ଦାବୀ ହେଉଛି।
ବାଲିଗୁଡା। ରିପୋର୍ଟ : ଜ୍ୟୋତି ପ୍ରକାଶ ସାମନ୍ତରାୟ