ଲଘୁଚାପ ଜନିତ ବର୍ଷାରେ ଧାନ ଫସଲ ନଷ୍ଟ। ଚିନ୍ତାରେ ଚାଷୀ ।
କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଖୁଣ୍ଟିଆରେ ଲଘୁଚାପଜନିତ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଖୁଣ୍ଟିଆରେ ଦେବୋତ୍ତର ବିଭାଗ ଅଧିନରେ ବାଲାଜୀ ମହାପ୍ରଭୂ ନାମରେ ଥିବା ୨୨ ଏକର ଜମିକୁ ଖୁଣ୍ଟିଆର ଚାରି ଜଣ ଚାଷୀ କୈଳାସ ଚନ୍ଦ୍ର ସୁନାନୀ, ପଦ୍ମ ଲୋଚନ ଧରୁଆ, ବଳଦେବ ଦୁର୍ଗା ଓ ଚିତ୍ରସେନ ସୁନାନି ଲିଜ୍ ରେ ଆଣି ଧାନ ଚାଷ କରିଥିଲେ। ଋଣ କରଜ କରି ଅର୍ଥ ଲଗାଇ ଧାନ ଚାଷ କରିଥିଲେ। ଧାନ ଫସଲ ମଧ୍ଯ ଭଲ ହୋଇଥିଲା। ଅମଳ ସମୟରେ ଲଘୁ ଚାପଜନିତ ବର୍ଷାରେ କାଟିଥିବା ଧାନ ପାଣିରେ ଭିଜି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଧାନ ଜମିରେ ହିଁ ଧାନ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ବର୍ଷା ହେବା ଫଳରେ କିଛି କାଟିଥିବା ଧାନ ଖଳାକୁ ଆସିଥିବା ବେଳେ ୭୦ ଭାଗ ଧାନ ଜମିରେ ହିଁ ରହି ଯାଇଛି।ଜମିରେ ପାଣି ଥିବାରୁ ବର୍ତ୍ତମାନ କାଟିଥିବା ଧାନ ପାଣିରେ ଭାସୁଥିବା ଓ ବହୁ ଭାଗ ଧାନ ଭିଜି ଯାଇ ଗଜା ହୋଇ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।ଫଳରେ ଧାନ ଚାଷ କରି କିଛି ଲାଭବାନ ହେବା ଆଶା ସମ୍ପୂର୍ଣ ରୁପେ ମଉଳି ଯାଇଛି। ବର୍ତ୍ତମାନ ଚିନ୍ତାରେ ଉକ୍ତ ଚାରି ଜଣ ଚାଷୀ।କେମିତି ଧାନ ଅମଳ କରିବେ, ବିକ୍ରି କରି କିଛି ଅର୍ଥ ପାଇବା ସହିତ ଋଣ କରଜ ପରିଶୋଧ କରିବେ। ଏଣୁ ପ୍ରଶାସନ ପକ୍ଷରୁ ହୋଇଥିବା କ୍ଷୟ କ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଉକ୍ତ ଚାଷୀ ମାନେ ପ୍ରଶାସନକୁ ଗୁହାରୀ କରିଛନ୍ତି।
ରିପୋର୍ଟ : କ୍ଷେତ୍ର ମୋହନ ନାଗ